ଶିଉଳି ଓ ଓଡ଼ିଆ ଭାଷାର ଶାସ୍ତ୍ରୀୟତା

ବକାରସ୍ୟ ଦନ୍ତୋଷ୍ଠମ୍- ମହର୍ଷି ପାଣିନିଙ୍କ ଏହି ନିୟମାନୁସାରେ ଅବର୍ଗ୍ୟ ‘ବ’ର ଉଚ୍ଚାରଣ ସ୍ଥାନ ଦନ୍ତୋଷ୍ଠ। ଉପର ଦନ୍ତ ତଳ ଓଠକୁ ଛୁଇଁଲେ ଅବର୍ଗ୍ୟ ‘ବ’ ଉଚ୍ଚାରିତ ହୋଇଥାଏ। ଏହି ଦାନ୍ତ ଓ ଓଠ ମଝିରେ ଟିକିଏ ଫାଙ୍କ ରହିଥିବାରୁ ଉଚ୍ଚାରଣଜନିତ ସହଜତା ଯୋଗୁଁ ଓଡ଼ିଆ ଭାଷାରେ କଥା କହିବା ବେଳେ ଜନମୁଖରେ କେତେକ ଶବ୍ଦରେ ଅବର୍ଗ୍ୟ ‘ବ’ ର ଉଚ୍ଚାରଣ ‘ଉ’ କୁ ପରିବର୍ତ୍ତିତ ହୋଇ ଯାଇଥାଏ। ଯଥା: ସେବ- ସେଉ, ଆବର- ଆଉ, ଠିକ୍ ସେହିପରି ଗଠିତ ଶବ୍ଦ ହେଉଛି ‘ଶିଉଳି’ ! ଏହି ଶବ୍ଦଟି ତାହାର ମୂଳ ତତ୍ସମ ଓଡ଼ିଆ ଶବ୍ଦ ‘ଶିବଳି’ରୁ ‘ଶିଉଳି’ ହୋଇଛି। 
ଶିଉଳିକୁ ତେଲୁଗୁରେ ନାଚୁ, ଆଲାଗୀ, ତାମିଲ ଓ କନ୍ନଡ଼ରେ ପାଚୀ, ମଲୟାଲମରେ ପାୟଲ୍, ଆଲଗାକଲ୍, ମରାଠୀରେ ମୋସ୍, ଶେବାଲ, ଶେବାଲେ, ହରିତା, ମୈଥିଳରେ: କାଇ, ଗୁରୁମୁଖୀରେ କାଇ, ଆଇଲାଗୀ, ଅହମିଆ: ଶେଲାଈ, ଶେଲୁୱାଈ, ନେପାଳୀରେ ଇଆଁଉ, ଲେଉ, ଶୈବାଲ, ବଙ୍ଗଳାରେ ଶ୍ୟାଉଲା, ଶୈବଲ, ହିନ୍ଦୀରେ ସେୱାର କୁହାଯାଏ। ଏପରି କି ସଂସ୍କୃତ ସାହିତ୍ୟରେ ବି ଶୈବାଳ ଶବ୍ଦ ଅଛି, ମାତ୍ର ଓଡ଼ିଆ ଭାଷାରେ ବ୍ୟବହୃତ ଶବ୍ଦଟି ‘ଶିଉଳି’ ବା ‘ଶିଉଳୀ’, ଯାହାର ମୂଳ ତତ୍ସମ ଶବ୍ଦଟି ‘ଶିବଳୀ’। ପରିପୂର୍ଣ୍ଣତା ଓ ପ୍ରାଚୁର୍ଯ୍ୟର ସୂଚକ ଭାବରେ ସଂସ୍କୃତ ତଥା ଓଡ଼ିଆ ଭାଷାରେ ‘ଳ’ ପ୍ରତ୍ୟୟ ବ୍ୟବହାର କରାଯାଏ। ଯଥା : ଗହଳ, ଚହଳ, ବହୁଳ, ଦେବଳ ଇତ୍ୟାଦି। ସେହିପରି ଯେଉଁଥିରେ ନିଜେ ଶିବ ସନ୍ନିବିଷ୍ଟ ବା ଯେଉଁ ବସ୍ତୁ ପ୍ରଚୁର ମଙ୍ଗଳ ତତ୍ତ୍ବରେ ପରିପୂର୍ଣ୍ଣ, ସେହି ବସ୍ତୁ ପୁଂଲିଙ୍ଗରେ ‘ଶିବଳ’, ସ୍ତ୍ରୀଲିଙ୍ଗରେ ‘ଶିବଳୀ’! ସମୁଦ୍ରର ଜଳରାଶିରେ ଉଦ୍ଭିଦଜାତିର ପ୍ରଥମ ପ୍ରକାଶ ଭାବରେ ସୃଷ୍ଟି ହୋଇଥିଲେ ଏଇ ଶିଉଳି ଗୋଷ୍ଠୀ- ଫାଇଟୋପ୍ଲାଙ୍କଟନ୍ ! ପୃଥ୍ବୀଗତ ବାୟୁମଣ୍ଡଳର ୫୦%ରୁ ଅଧିକ ଅମ୍ଳଜାନ ଏଇ ସମୁଦ୍ର ଶିଉଳିମାନେ ଦେଇଥାନ୍ତି ! ନୀଳହରିତ୍ ଶିଉଳିଠାରୁ ଆରମ୍ଭ କରି ନାନା କିସମର ଶିଉଳିମାନେ ନାନା ଜୀବସାର, ଓମେଗା-୩ ସ୍ନେହାମ୍ଳ, ପ୍ରତ୍ୟପଚାୟକ (ଆଣ୍ଟିଅକ୍ସିଡାଣ୍ଟ) ଓ ରୋଗ ପ୍ରତିରୋଧକ ସୂକ୍ଷ୍ମ ପୋଷକ ତତ୍ତ୍ବରେ ପରିପୂର୍ଣ୍ଣ ତଥା ଆୟୁର୍ବେଦୋକ୍ତ ରକ୍ତପିତ୍ତ, ଦାହ, ତୃଷ୍ଣା, ଚର୍ମ, କର୍ଣ୍ଣ, ହୃଦ୍ ରେଗଠାରୁ ଆରମ୍ଭ କରି କର୍କଟରୋଗ ପର୍ଯ୍ୟନ୍ତ ଉପଯୋଗିତା ପ୍ରମାଣ କରି ସାରିଛନ୍ତି।
ବେଦ କହନ୍ତି, ସ୍ବୟଂ ଭଗବାନ୍ ଶିବ ହିଁ ଶିଉଳି ରୂପରେ ପୃଥିବୀର ଜଳରେ ଅବତରଣ କରିଥିଲେ। ନୀଳରୁଦ୍ରୋପନିଷଦର ଋଷି କହୁଛନ୍ତି: “ଅପଶ୍ୟଂ ତ୍ବାବରୋହନ୍ତଂ ଦିବିତଃ ପୃଥିବୀମବଃ। ଅପଶ୍ୟଂ ରୁଦ୍ରମସ୍ୟନ୍ତଂ ନୀଳଗ୍ରୀବଂ ଶିଖଣ୍ଡିନମ୍॥(୧/୧) × × × ଏଷ ଏତ୍ୟରହା ରୁଦ୍ରୋ ଜଳାସଭେଷଜୀଃ। ବିତ୍ତେଽକ୍ଷେମମ୍ ଅନୀନଶଦ୍ ବାତୀକରୋଽପ୍ଯେତୁ ତେ॥”(୧/୩) ଅର୍ଥାତ୍ “ହେ ପ୍ରଭୁ, ମୁଁ ଉଜ୍ଜ୍ବଳ ଅରୁଣ-ରକ୍ତିମ ବର୍ଣ୍ଣର କାନ୍ତିଯୁକ୍ତ ତୁମର ନୀଳକଣ୍ଠ ରୁଦ୍ର ମୂର୍ତ୍ତିଙ୍କୁ ମୁଣ୍ଡରେ ମୟୂରଚୂଳ ଧାରଣକରି ଏହି ପୃଥିବୀର ଜଳରାଶି ମଧ୍ୟରେ ଭେଷଜ ସ୍ୱରୂପରେ ତୀବ୍ର ଗତିରେ ଅବତରଣ କରି ରୋଗରୂପକ ପାପପୁଞ୍ଜକୁ ବିନାଶ କରୁଥିବାର ଦେଖିଲି।”
ଏହି ନୀଳରୁଦ୍ର ଉପନିଷଦ ଅଥର୍ବ ବେଦଙ୍କ ହଜାରେ ଉପନିଷଦରୁ ଅନ୍ୟତମ ଏବଂ ଭାରତବର୍ଷର ଅନ୍ୟତ୍ର ଅନୁପଲବ୍ଧ ଅଥର୍ବ ବେଦଙ୍କ ସର୍ବପ୍ରାଚୀନ ପୋଥି ମଧ୍ୟ ଏଇ ଉତ୍କଳରୁ ମିଳିଥିଲା। ତେଣୁ ଉତ୍କଳ ଯଦି ଅଥର୍ବ ବେଦଙ୍କ ସଂକଳନ ଭୂମି, ତା’ହେଲେ ଶ୍ରୀକ୍ଷେତ୍ରବାସୀ ମହର୍ଷି ଅଙ୍ଗିରା ଓ ରୁଦ୍ରାବତାର ପୈପ୍ପଳାଦ ଆଦି ଋଷିମାନଙ୍କ ପରି ନୀଳରୁଦ୍ର ମଧ୍ୟ ଉତ୍କଳଚାରୀ ହୋଇଥିବା ନିଶ୍ଚିତ। ଉତ୍କଳଚାରୀ ଋଷିସତ୍ତା ଏହି ଉଦ୍ଭିଦ ପ୍ରଜାତି ଶିଉଳିର ଶିବସମ୍ବନ୍ଧ ଜାଣି ପାରିଥିଲେ !
ଯେଉଁ ଦିନ ଶିଉଳି ଶବ୍ଦଟିର ଏହି ତତ୍ତ୍ବବୋଧ ଅନ୍ତଃପଟଳରେ ଉଦ୍ଭାସିତ ହୋଇଥିଲା, ସେଦିନ ପୁଲକି ଉଠିଥିଲି। ନିଜ ମାତୃଭାଷାର ହେୟ ମନେ ହେଉଥିବା ଗୋଟାଏ ନିହାତି ସାଧାରଣ ଶବ୍ଦ ଏଡ଼େ ଅସୀମ ଶିବଚେତନାର ଦ୍ୟୋତକ ହୋଇପାରେ, ଏ କଥା ଭାବିଭାବି ବଡ଼ ନୈସର୍ଗିକ ଆନନ୍ଦରେ ବୁଡ଼ି ଯାଇଥିଲି। କେଡ଼େ ଗଭୀର ଆଉ କେତେ ସୁଦୂରପ୍ରସାରୀ ଥିଲା ଆମ ପୂର୍ବଜଙ୍କ ଦୃଷ୍ଟି ! ଯେତେବେଳେ ବି ନିଜ ମାତୃଭାଷାର ଏ ଗରିମା ମନେପଡ଼େ, ସେତେବେଳେ ପ୍ରାଚୀନ ଉତ୍କଳର ସେହି ଋଷିମାନସ ଉଦ୍ଦେଶ୍ୟରେ ଊର୍ଦ୍ଧ୍ବବାହୁ ହୋଇ ପ୍ରଣାମ କରେ। ପ୍ରଯୁକ୍ତି ଯୁଗର ନବ୍ୟ ଓଡ଼ିଆମାନଙ୍କୁ ମାତୃଭାଷାର ଶାସ୍ତ୍ରୀୟତା ସମ୍ବନ୍ଧେ ସଚେତନ କରାଇବା ସହିତ ସ୍ବାଭିମାନର ଅନୁଭବ କରାଇବ। ବନ୍ଦେ ଉତ୍କଳ ଜନନୀ।
 

ସନତ୍‌ସୁଜାତାନନ୍ଦ ଦାସ

ଗୌରାଙ୍ଗ ମଠ, ପୁରୀ

Published : The Samaja (01/04/2026) 

Comments

Popular posts from this blog

ଓଡ଼ିଆ ଭାଷା ଶିକ୍ଷା: ବର୍ଣ୍ଣବୋଧ ବନାମ ହସଖେଳ

‘ଓଡ଼ିଆ ଭାଷାକୁ ସହଜରେ ଶିଖିବା ପାଇଁ ବର୍ଣ୍ଣବୋଧ କୁନିକୁନି ପିଲାଙ୍କ ପକ୍ଷରେ ସହାୟକ ହେବ’