ଶିଉଳି ଓ ଓଡ଼ିଆ ଭାଷାର ଶାସ୍ତ୍ରୀୟତା
ବକାରସ୍ୟ ଦନ୍ତୋଷ୍ଠମ୍- ମହର୍ଷି ପାଣିନିଙ୍କ ଏହି ନିୟମାନୁସାରେ ଅବର୍ଗ୍ୟ ‘ବ’ର ଉଚ୍ଚାରଣ ସ୍ଥାନ ଦନ୍ତୋଷ୍ଠ। ଉପର ଦନ୍ତ ତଳ ଓଠକୁ ଛୁଇଁଲେ ଅବର୍ଗ୍ୟ ‘ବ’ ଉଚ୍ଚାରିତ ହୋଇଥାଏ। ଏହି ଦାନ୍ତ ଓ ଓଠ ମଝିରେ ଟିକିଏ ଫାଙ୍କ ରହିଥିବାରୁ ଉଚ୍ଚାରଣଜନିତ ସହଜତା ଯୋଗୁଁ ଓଡ଼ିଆ ଭାଷାରେ କଥା କହିବା ବେଳେ ଜନମୁଖରେ କେତେକ ଶବ୍ଦରେ ଅବର୍ଗ୍ୟ ‘ବ’ ର ଉଚ୍ଚାରଣ ‘ଉ’ କୁ ପରିବର୍ତ୍ତିତ ହୋଇ ଯାଇଥାଏ। ଯଥା: ସେବ- ସେଉ, ଆବର- ଆଉ, ଠିକ୍ ସେହିପରି ଗଠିତ ଶବ୍ଦ ହେଉଛି ‘ଶିଉଳି’ ! ଏହି ଶବ୍ଦଟି ତାହାର ମୂଳ ତତ୍ସମ ଓଡ଼ିଆ ଶବ୍ଦ ‘ଶିବଳି’ରୁ ‘ଶିଉଳି’ ହୋଇଛି। ଶିଉଳିକୁ ତେଲୁଗୁରେ ନାଚୁ, ଆଲାଗୀ, ତାମିଲ ଓ କନ୍ନଡ଼ରେ ପାଚୀ, ମଲୟାଲମରେ ପାୟଲ୍, ଆଲଗାକଲ୍, ମରାଠୀରେ ମୋସ୍, ଶେବାଲ, ଶେବାଲେ, ହରିତା, ମୈଥିଳରେ: କାଇ, ଗୁରୁମୁଖୀରେ କାଇ, ଆଇଲାଗୀ, ଅହମିଆ: ଶେଲାଈ, ଶେଲୁୱାଈ, ନେପାଳୀରେ ଇଆଁଉ, ଲେଉ, ଶୈବାଲ, ବଙ୍ଗଳାରେ ଶ୍ୟାଉଲା, ଶୈବଲ, ହିନ୍ଦୀରେ ସେୱାର କୁହାଯାଏ। ଏପରି କି ସଂସ୍କୃତ ସାହିତ୍ୟରେ ବି ଶୈବାଳ ଶବ୍ଦ ଅଛି, ମାତ୍ର ଓଡ଼ିଆ ଭାଷାରେ ବ୍ୟବହୃତ ଶବ୍ଦଟି ‘ଶିଉଳି’ ବା ‘ଶିଉଳୀ’, ଯାହାର ମୂଳ ତତ୍ସମ ଶବ୍ଦଟି ‘ଶିବଳୀ’। ପରିପୂର୍ଣ୍ଣତା ଓ ପ୍ରାଚୁର୍ଯ୍ୟର ସୂଚକ ଭାବରେ ସଂସ୍କୃତ ତଥା ଓଡ଼ିଆ ଭାଷାରେ ‘ଳ’ ପ୍ରତ୍ୟୟ ବ୍ୟବହାର କରାଯାଏ। ଯଥା : ଗହଳ, ଚହଳ, ବହୁଳ, ଦେବଳ ଇତ୍ୟାଦି। ସେହିପରି ଯେଉଁଥିରେ ନିଜେ ଶିବ ସନ୍ନିବିଷ୍ଟ ବା ଯେଉଁ ବସ୍...